ନୂଆଦିଲ୍ଲୀ: ଗୁଗଲ୍ ପୁଣି ଥରେ ସାମ୍ନାସାମ୍ନି ସାକ୍ଷାତକାର ଆରମ୍ଭ କରିବାକୁ ଯୋଜନା କରୁଛି । ଏ ସମ୍ପର୍କରେ ନିକଟରେ ଗୁଗଲ୍ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ଏବେ ଭର୍ଚୁଆଲ୍ ସାକ୍ଷାତକାର ପରିବର୍ତ୍ତେ ଅତି କମରେ ଗୋଟିଏ ପର୍ୟ୍ୟାୟ ବ୍ୟକ୍ତିଗତ ଅର୍ଥାତ୍ ସାମ୍ନାସାମ୍ନି ସାକ୍ଷାତକାର ବାଧ୍ୟତାମୂଳକ କରାଯିବ। ଅନଲାଇନ୍ ସାକ୍ଷାତକାରରେ AI ସାହାଯ୍ୟରେ ଲୋକେ ଠକୁଛନ୍ତି । ଫଳରେ ସଠିକ୍ ପ୍ରାର୍ଥୀ ବାଛିବା କଷ୍ଟକର ହେଉଛି ।
ପିଚାଇ କହିଛନ୍ତି ଯେ, ସାମ୍ନାସାମ୍ନି ସାକ୍ଷାତକାର ଦ୍ବାରା ଜଣେ ଆଶାୟୀଙ୍କ ପାଖରେ ଥିବା ମୌଳିକ ଦକ୍ଷତା ଏବଂ ଉତ୍ତମ ବୁଝାମଣା ସଂପର୍କରେ ଜଣାପଡ଼ିବ । ଗୁଗଲରେ ସମସ୍ୟା ଏତେ ବୃଦ୍ଧି ପାଇଛି ଯେ, ଏବେ ଅନଲାଇନ୍ ସାକ୍ଷାତକାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି ଉଠିଛି। ବିଶେଷକରି ସଫ୍ଟୱେର୍ ଇଞ୍ଜିନିୟରିଂ ଲାଗି ହେଉଥିବା ସାକ୍ଷାତକାର ଅଫଲାଇନ୍ କରିବାକୁ କୁହାଯାଉଛି । ଏଥିରେ ଲାଇଭ୍ କୋଡିଂ କରିବାକୁ ପଡ଼ିଥାଏ ।
ଅନେକ ଆଶାୟୀ କ୍ୟାମେରା ପଛରେ AI ଉପକରଣ ବ୍ୟବହାର କରି ଉତ୍ତର ପ୍ରସ୍ତୁତ କରନ୍ତି । ଫଳରେ ସାକ୍ଷାତକାରର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରୁ ନାହିଁ । ଗୁଗଲ୍ର କିଛି କର୍ମଚାରୀ ଏବେ ଦାବି କରୁଛନ୍ତି ଯେ, କେବଳ ଫେସ ଟୁ ଫେସ୍ (ସାମ୍ନାସାମ୍ନି) ସାକ୍ଷାତକାର କରାଯିବା ଉଚିତ। ଫେବୃଆରୀରେ ଅନୁଷ୍ଠିତ ଏକ ଆଭ୍ୟନ୍ତରୀଣ ଟାଉନ ହଲ୍ ବୈଠକରେ କର୍ମଚାରୀମାନେ ସିଧାସଳଖ କମ୍ପାନିକୁ ପଚାରିଥିଲେ, ‘ଆମେ କ'ଣ ପୁଣି ଫେସ ଟୁ ଫେସ ସାକ୍ଷାତକାର ଆରମ୍ଭ କରିପାରିବା ?’
CNBC ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ଅନେକ ଇମେଲ୍ ଥ୍ରେଡ୍ ମଧ୍ୟ ଚାଲିଛି । ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଅନେକ ଲୋକ ଏହା ବିଷୟରେ ଚିନ୍ତିତ। ଜଣେ ଗୁଗଲ୍ କର୍ମଚାରୀ ପରାମର୍ଶ ଦେଇଥିଲେ ଯେ, ଯଦି ଖର୍ଚ୍ଚ ହ୍ରାସ କରିବାକୁ ହୁଏ, ତେବେ ଅତି କମରେ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ପାଇଁ ଏପରି ସ୍ଥାନକୁ ଡକାଯିବା ଉଚିତ ଯେଉଁଠାରେ କମ୍ପାନୀ ଅନୁଯାୟୀ ପରିବେଶ ଥିବ ଏବଂ ସାକ୍ଷାତକାର ସଠିକ୍ ଭାବରେ ହୋଇପାରିବ।
ସୁନ୍ଦର ପିଚାଇ କର୍ମଚାରୀମାନଙ୍କ ପ୍ରଶ୍ନରେ ଏକ ମିଶ୍ରିତ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଯେହେତୁ ଆମେ ସମସ୍ତେ ଏବେ ଏକ ହାଇବ୍ରିଡ୍ ଉପାୟରେ କାମ କରୁଛୁ । ତେଣୁ ସାକ୍ଷାତକାରର କିଛି ଅଂଶ ମଧ୍ୟ ମୁହାଁମୁହିଁ ହେବା ଉଚିତ। ଏହା ଆଶାୟୀମାନଙ୍କୁ ଗୁଗଲ୍ କିପରି କାମ କରେ ତାହା ବୁଝିବାରେ ସାହାଯ୍ୟ କରିବ ଏବଂ ଏହା ଉଭୟ ପକ୍ଷ ପାଇଁ ଲାଭଦାୟକ ହେବ।